ଚାକିରି ପାଇଁ ଜମି ମାମଲା: ଲାଲୁଙ୍କ ସହ ପତ୍ନୀ ଓ ଝିଅଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଚାକିରି ପାଇଁ ଜମି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ପରିବାରକୁ ମିଳିଛି ଆଶ୍ବସ୍ତି । ଦିଲ୍ଲୀର ଏକ ସିବିଆଇ କୋର୍ଟ ଏହି ମାମଲାରେ ଲାଲୁଙ୍କ ସହ ତାଙ୍କ ପତ୍ନୀ ରାବଡୀ ଦେବୀ ଏବଂ ଝିଅ ମିସା ଭାରତୀଙ୍କୁ ଜାମିନ ଦେଇଛନ୍ତି ।

ଲାଲୁ ଯାଦବ ଆଜି ତାଙ୍କ ପତ୍ନୀ ଏବଂ ଝିଅଙ୍କ ସହ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ । ଲାଲୁ ଏକ ହ୍ବିଲ୍ ଚେୟାରରେ କୋର୍ଟକୁ ଆସିଥିଲେ । ତେବେ ତିନି ଜଣଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୯ରେ ହେବ ।

ସିବିଆଇ ଏହି ମାମଲାରେ କିଛି ଦିନ ତଳେ ଲାଲୁ ଯାଦବ ଏବଂ ତାଙ୍କ ପତ୍ନୀ ରାବଡୀ ଦେବୀଙ୍କୁ ଜେରା କରିଥିଲା। ସିବିଆଇ ଚାର୍ଜସିଟ୍ ଆଧାରରେ କୋର୍ଟ ଲାଲୁ ଯାଦବ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହାଜର ହେବା ପାଇଁ ସମନ ଜାରି କରିଥିଲେ ।

ଅନ୍ୟପକ୍ଷରେ ଲାଲୁଙ୍କ‌ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ତୃତୀୟ ଥର ନୋଟିସ୍ ସତ୍ତ୍ୱେ ଜେରା ପାଇଁ ସିବିଆଇ ଆଗରେ ହାଜର ହୋଇନଥିଲେ। ସିବିଆଇ ଏହାକୁ ତଦନ୍ତରେ ଅସହଯୋଗ ଭାବେ ଦେଖୁଛି ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଗତ ମତାମତ ନେଉଥିବା ଜଣାପଡ଼ିଛି । ସୋମବାର ସିବିଆଇ ତୃତୀୟ ଥର ପାଇଁ ନୋଟିସ ପଠାଇ ତେଜସ୍ୱୀଙ୍କୁ ହାଜର ହେବାକୁ କହିଥିଲା । ସେ ମଙ୍ଗଳବାର ହାଜର ହେବାର ଥିଲା। କିନ୍ତୁ ସେ ଆସିନଥିଲେ।

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ନିକଟରେ ଯାଦବ ପରିବାର ଲୋକଙ୍କ ଘରେ ଚଢାଉ କରିଥିଲା।

Comments are closed.