ଆଜି ଦିଲ୍ଲୀ ଅଣାଯିବ ଜେନେରାଲ୍ ବିପିନ ରାୱତ ଓ ପତ୍ନୀଙ୍କ ପାର୍ଥିବ ଶରୀର, କାଲି ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରିରେ ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ଜେନେରାଲ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ଡ଼.ମଧୁଲିକା ରାୱତଙ୍କ ପାର୍ଥିବ ଶରୀରକୁ ଆଜି ଦିଲ୍ଲୀ ଅଣାଯିବ। ସୂଚନାନୁସାରେ, ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ମୃତଦେହକୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟକୁ ଅଣାଯିବା ପରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବ ଏବଂ ଶୁକ୍ରବାର ଅନ୍ତିମ ସଂସ୍କାର କରାଯିବ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସଂସଦର ଉଭୟ ସଦନରେ ତାମିଲନାଡୁର ନୀଳଗିରିରେ ଘଟିଥିବା ଏହି ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ବିବୃତି ଦେବେ।
ସୂଚନାଯୋଗ୍ୟ, ବୁଧବାର କୁନ୍ନୁର ନିକଟସ୍ଥ ନୀଳଗିରି ଘାଟିରେ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ହେଲିକପ୍ଟରରେ ଜେନେରାଲ ରାୱତ ଓ ପତ୍ନୀଙ୍କ ସମେତ ୧୪ ଜଣ ଲୋକ ଥିଲେ। ଏହି ଦୁର୍ଘଟଣାରେ କେବଳ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ସ୍ବାସ୍ଥ୍ୟାବସ୍ଥା ବି ଗୁରୁତର ରହିଥିବା କୁହାଯାଇଛି ।

ଅନ୍ୟପଟେ ଭାରତୀୟ ବାୟୁସେନାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ହେଲିକେପ୍ଟରର ବ୍ଲାକ ବକ୍ସର ଖୋଜା ଚାଲିଛି ।

Comments are closed.