ମନରେଗାରେ ହଜାରେରୁ ଊର୍ଦ୍ଧ୍ବ କୋଟି ବକେୟା ରଖିଛି କେନ୍ଦ୍ର: ରାଜ୍ୟ ସରକାର ପାଇଁ ସୃଷ୍ଟି କରୁଛି ସମସ୍ୟା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ବର୍ଷ ପରେ ବର୍ଷ ଗ୍ରାମାଞ୍ଚଳରେ ଗରିବ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଲୋକଙ୍କ ପେଟପାଟଣାର ସାହାରା ପାଲଟିଥିଲା। ନିଜ ଘର ଛାଡ଼ି କେଉଁ ଅଜଣା ରାଇଜକୁ ଦାଦନ ଖଟିବାକୁ ଯିବା ବଦଳରେ ନିଜ ଗାଁ ବା ଗ୍ରାମ ନିକଟରେ ହିଁ ରୋଜଗାର ପାଇପାରୁଥିଲେ ଗରିବ ଗ୍ରାମବାସୀ। ହେଲେ କେନ୍ଦ୍ର ସରକାରଙ୍କ ଦ୍ବୈତ୍ଵ ପ୍ରହାର କେବଳ ଯେ ମନରେଗା ଯୋଜନାକୁ ଦୁର୍ବଳ କରୁଛି ତାହା ନୁହେଁ, ବରଂ ଏହି ଯୋଜନା ଦ୍ଵାରା ଉପକୃତ ହେବାକୁ ଥିବା ଲକ୍ଷ ଲକ୍ଷ ଶ୍ରମଜୀବୀଙ୍କ ପେଟପାଟଣା ପ୍ରତି ଲାତ ମାରିବା ଭଳି ମନେ ହେଉଛି। କାରଣ ଗୋଟିଏ ପଟେ ମନରେଗା ଯୋଜନାରେ ଅନୁଦାନକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି, ଆରପଟେ ବକେୟା ବାବଦ ବିପୁଳ ପରିମାଣର ଅର୍ଥକୁ ଠିକ୍ ସମୟରେ ପ୍ରଦାନ ନକରି ବକେୟା ରଖିଛନ୍ତି ମୋଦି ସରକାର। ଫଳରେ ଶ୍ରମଜୀବୀମାନେ ନିଜେ କରିଥିବା ଶାରୀରିକ କଷ୍ଟ ବାବଦ ପ୍ରାପ୍ୟ ନପାଇ ହଇରାଣ ହରକତ ହେବା ସାର ହେଉଛନ୍ତି। ସେମାନଙ୍କ ପରିବାର ପ୍ରତିପୋଷଣ କାଠିକର ହୋଇ ପଡୁଛି।

ଓଡ଼ିଶା କଥା କହିବାକୁ ଗଲେ ରାଜ୍ୟକୁ ୧୦୦୦ରୁ ଅଧିକ କୋଟି ଟଙ୍କା ବକେୟା ରଖିଛନ୍ତି କେନ୍ଦ୍ର ସରକାର। ଏକ ସରକାରୀ ରିପୋର୍ଟ ମୁତାବକ ଓଡ଼ିଶାର ୪୭ ହଜାର ୩୦୫ଟି ମନରେଗା କାର୍ଯ୍ୟ ବାବଦ ଅର୍ଥ ପୈଠ ବିଳମ୍ବିତ ହୋଇଛି। ସେଥିରୁ ୨୩୮ ଅର୍ଥ ପୈଠ ୩ ମାସରୁ ଊର୍ଦ୍ଧ୍ବ ସମୟ ଧରି ବିଳମ୍ବିତ ହୋଇଛି। କାରଣ କେନ୍ଦ୍ର ସରକାର ଏ ବାବଦ ଅର୍ଥ ପ୍ରଦାନ କରିନାହାନ୍ତି। ବିଶେଷଜ୍ଞ ଏବଂ ଅଧିକାରୀଙ୍କ ଅନୁସାରେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁଦାନ ଟଙ୍କା ଠିକ୍ ଭାବରେ ନଆସିବା ଚିନ୍ତାର କାରଣ। ତେବେ କେବଳ ଚଳିତ ବର୍ଷ ନୁହେଁ ଗତ କିଛି ବର୍ଷ ହେବ ଏହିଭଳି ଅବସ୍ଥା ହେଉଛି ଯେଉଁଠି ଶ୍ରମିକଙ୍କ ପ୍ରାପ୍ୟ ଠିକ୍ ରୂପେ ସେମାନଙ୍କୁ ମିଳିପାରୁନି। କାରଣ କେନ୍ଦ୍ର ସରକାର ମନରେଗା ଅର୍ଥ ଠିକ୍ ସମୟରେ ମଞ୍ଜୁର ବା ପ୍ରଦାନ କରୁନାହାନ୍ତି। ଶ୍ରମିକଙ୍କୁ ୧୦୦ ଦିନର ନିଶ୍ଚିତ କର୍ମନିଯୁକ୍ତି ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ମନରେଗା। ଅଥଚ କଠିନ ଶାରୀରିକ କାର୍ଯ୍ୟ କରି ପ୍ରତିଦିନ ମଜୁରି ଆଶା କରୁଥିବା ଶ୍ରମିକଙ୍କୁ ୩ ମାସରୁ ଅଧିକ ସମୟ ଧରି ମଧ୍ୟ ମଜୁରି ଦିଆନଯିବା ଯୋଗୁଁ ସେମାନଙ୍କ ପେଟପାଟଣା ସମସ୍ୟା ଉପୁଜୁଛି ଓ ସେମାନେ ଏହି କାର୍ଯ୍ୟ ପ୍ରତି ବିମୁଖ ହୋଇ ଉଠୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ- ଅନୁଦାନ ହ୍ରାସ ସାଙ୍ଗକୁ ଅର୍ଥ ବକେୟା ରଖାଯିବା ଯୋଗୁଁ ମହାମାରୀ ବର୍ଷରେ ମଧ୍ୟ ଏହି ଯୋଜନା ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେବାରେ ବାଧା ସୃଷ୍ଟି ହେଉଛି। ଯଦିଓ ୨୦୨୦ କୋଭିଡ୍ ପ୍ରଥମ ଲହର ସମୟରେ ଅନେକ ପ୍ରବାସୀ ଶ୍ରମିକ ମନରେଗାରେ ନିୟୋଜିତ ହୋଇ ପରିବାର ପ୍ରତିପୋଷଣ ତଥା ପେଟପାଟଣା କରି ପାରିଥିଲେ। ଏପରିକି ଅନେକ ଉଚ୍ଚଶିକ୍ଷିତ ମଧ୍ୟ ଏଥିରେ କାର୍ଯ୍ୟ କରି ଦୈନଦିନ ଆବଶ୍ୟକତା ପୂରଣ କରିଥିଲେ। ସାଧାରଣ ସମୟରେ ଗାଁର ମଜୁରିଆ ସହିତ ଛୋଟ ଏବଂ ନାମମାତ୍ର ଚାଷୀ ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପରେ କାମ କରିଥାନ୍ତି। ହେଲେ ମହାମାରୀ ସମୟରେ କୋଟି କୋଟି ଶ୍ରମିକଙ୍କ ପାଇଁ ସାହାରା ପାଲଟିଥିବା ମନରେଗାକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାରଙ୍କ ପାଇଁ ବାଧକ ସାଜିଛି ଅନୁଦାନ ହ୍ରାସ ଓ ବକେୟା ଅର୍ଥ କେନ୍ଦ୍ର ଦ୍ଵାରା ପ୍ରଦାନ କରାନଯିବା।

ଅର୍ଥନୀତି ସହ ଜଡ଼ିତ ବିଶେଷଜ୍ଞଙ୍କ ଆଶା ଥିଲା ଯେ- ମହାମାରୀ ପ୍ରଥମ ଲହର ଭଳି ଚଳିତ ବର୍ଷ ବଜେଟ୍‌ରେ ମନରେଗାକୁ ଗୁରୁତ୍ବ ଦିଆଯିବ। ୨୦୨୨ରେ ମଧ୍ୟ ବ୍ୟାପକ ଅର୍ଥ ବ୍ୟବସ୍ଥା ହେବ ଯାହାଦ୍ବାରା ଗାଁର ଗରିବଙ୍କ ପାଇଁ ରୋଜଗାରର ଅଭାବ ରହିବ ନାହିଁ ବୋଲି ଆଶା କରଯାଉଥିଲା। ମାତ୍ର ଏହି ବଜେଟ୍ ନିରାଶ କରିଥିବା ଅନେକ ବିଶେଷଜ୍ଞ କହିଛନ୍ତି। ଅର୍ଥନୀତିଜ୍ଞଙ୍କ ମତରେ, ୨୦୨୨ – ୨୩ ଅର୍ଥିକ ବର୍ଷରେ ମନରେଗା ପାଇଁ ୭୩ ହଜାର କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା ହୋଇଛି। ଏହା ସଂଶୋଧିତ ଅଟକଳ ୯୮ ହଜାର କୋଟି ଟଙ୍କା ଠାରୁ ୨୫ ପ୍ରତିଶତ କମ୍। ବଜେଟ୍‌ରେ ଅନୁଦାନ ବୃଦ୍ଧି ତ ଦୂରର କଥା, ବରଂ କମାଇ ଦିଆଯାଇଛି। ପ୍ରକାଶ ଥାଉକି ୨୦୨୦ ମସିହା ବେଳେ ମନରେଗାରେ ସର୍ବାଧିକ ୧.୧୧ ଲକ୍ଷ କୋଟି ଅନୁଦାନ ମଞ୍ଜୁର ହୋଇଥିଲା। ଫଳରେ ୧୧ କୋଟିରୁ ଅଧିକ ଶ୍ରମଜୀବୀ କର୍ମନିଯୁକ୍ତି ପାଇ ପାରିଥିଲେ। କିନ୍ତୁ ପରବର୍ତ୍ତୀ ବର୍ଷ ତାହା ୭୩ ହଜାର କୋଟିକୁ କମାଇ ଦିଆଯାଇ ଥିଲା। ଅନୁଦାନ ହ୍ରାସ ଫଳରେ ରାଜ୍ୟଗୁଡିକ ମନରେଗା ବାବଦ ପ୍ରାପ୍ୟ ଶ୍ରମିକଙ୍କୁ ଦେବା ରାଜ୍ୟ ସରକାରମାନଙ୍କ ପାଇଁ କାଠିକର ହୋଇ ପଡ଼ିଥିଲା। ଗତବର୍ଷର ୧୨ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରିବା କେନ୍ଦ୍ର ସରକାର ପାଇଁ ବକେୟା ରହିଛି। ଏଭଳି ସ୍ଥଳେ ପୁଣି ଅନୁଦାନ ହ୍ରାସ ଅଧିକ ଜଟିଳତା ସୃଷ୍ଟି କରିଛି। ବିଶେଷ କରି ଓଡ଼ିଶା ଭଳି ରାଜ୍ୟ ଯାହା ସର୍ବାଧିକ ଶ୍ରମଦିବସ ସୃଷ୍ଟି କରି ଆସୁଛି ବା ସ୍କିମ୍‌ରେ ଅଧିକ ଶ୍ରମବର୍ଷର ଚାହିଦା ଲୋଡୁଛି ତା ପାଇଁ ଜଟିଳତା ଦ୍ବିଗୁଣିତ ହୋଇଯାଇଛି। ତେଣୁ ଓଡ଼ିଶା ସରକାର ମନରେଗା ବାବଦ ବକେୟା ଅର୍ଥ ପ୍ରାୟ ଏକ ହଜାର କୋଟି ଟଙ୍କା ତୁରନ୍ତ ମଞ୍ଜୁର କରାଯିବାକୁ ଦାବି କରିଛନ୍ତି। ଅର୍ଥାଭାବରୁ ଶ୍ରମଜୀବୀଙ୍କୁ ପ୍ରାପ୍ୟ ପ୍ରଦାନରେ ବହୁତ ସମସ୍ୟା ଉପୁଜୁଛି।କେନ୍ଦ୍ର ସରକାରଙ୍କ ମନରେଗା ପ୍ରତି ଗୁରୁତ୍ବହୀନ ଆଭିମୁଖ୍ୟ ଗ୍ରାମାଞ୍ଚଳ କର୍ମନିଯୁକ୍ତିକୁ ଗୁରୁତର ଭାବେ ପ୍ରଭାବିତ କରୁଥିବା ସ୍ପଷ୍ଟ। ଏହି କାରଣରୁ ଲୋକେ କର୍ମନିଯୁକ୍ତି ପାଇବା ପରିମାଣ ମଧ୍ୟ କମିବା ଆଶଙ୍କା କରାଯାଉଛି।

ଅର୍ଥନୈତିକ ସର୍ଭେ ମୁତାବକ, ମହାମାରୀ ଯୋଗୁଁ ଗ୍ରାମ୍ୟ ଅର୍ଥନୈତିକ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଶ୍ରମିକଙ୍କୁ ମଜୁରି ଟଙ୍କା ଯଥା ଶୀଘ୍ର ମିଳିବା ଉଚିତ। କିନ୍ତୁ ସମସ୍ତଙ୍କୁ ନିରାଶ କରିଛି ଯେ- କେନ୍ଦ୍ରୀୟ ବଜେଟ୍‌ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଗ୍ରାମାଞ୍ଚଳ କର୍ମନିଯୁକ୍ତି ବାବଦରେ କୌଣସି ବିଶେଷ ଉଲ୍ଲେଖ କରିନାହାନ୍ତି ଯେତେବେଳେ କି ସାରା ଦେଶ ଏହି ଯୋଜନାର ଅଧିକ ଆବଶ୍ୟକତା ଅନୁଭବ କରୁଛି ଓ କୋଟି କୋଟି ଶ୍ରମଜୀବୀଙ୍କ ଜୀବନଜୀବିକା ଉପରେ ଗୁରୁତର ପ୍ରଭାବ ପକାଉଛି। କୋଭିଡ୍- ୧୯ ସଙ୍କଟ ବେଳେ ଗ୍ରାମ୍ୟ ଅର୍ଥନୀତିକୁ ବଳ ଦେଇଥିବା ମନରେଗା କ୍ଷେତ୍ରରେ ସତେ ଯେମିତି ମୋଦି ସରକାର କୋଟି କୋଟି ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାକୁ ଭୁଲି ଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୨୧– ୨୨ ରିପୋର୍ଟ ଅନୁଯାୟୀ ରାଜ୍ୟର ସମୁଦାୟ ୧ ଲକ୍ଷ ୫୫ ହଜାର ୫୦୦ ଶ୍ରମିକଙ୍କ ମଧ୍ୟରୁ ୬୬ ହଜାର ୬୨୪ ଜଣ କାର୍ଯ୍ୟ କରୁଛନ୍ତି। ଅଦ୍ୟାବଧି ରାଜ୍ୟର ୬୮୦୧ ପଞ୍ଚାୟତ ମଧ୍ୟରୁ ୫୬୩୮ ଗ୍ରାମପଞ୍ଚାୟତରେ ଏହି ପ୍ରକଳ୍ପ କାମ କରୁଛି। ଶ୍ରମିକଙ୍କ ମଜୁରି ପ୍ରଦାନ ଓ ପ୍ରକଳ୍ପ କାର୍ଯ୍ୟ ସମାପ୍ତିରେ ବିଳମ୍ବ ହେବା ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ରାଜ୍ୟ ସରକାର ୭୫୨ କୋଟି ଟଙ୍କା ନିଜସ୍ବ ପାଣ୍ଠିରୁ ପ୍ରଦାନ କରିଥିଲେ। ଏହାଦ୍ଵାରା ଅନ୍ତତଃ ମନରେଗା ପ୍ରକ୍ରିୟା ଓ ଏଥିରେ ଗରିବଙ୍କୁ କର୍ମ ନିୟୋଜନ ଜାରି ରହିବ ବୋଲି ଆଶା କରୁଛନ୍ତି ନବୀନ ସରକାର। କାରଣ ମହାମାରୀ ସମୟରେ ଭିଟାମାଟିକୁ ଫେରିଥିବା ଲକ୍ଷ ଲକ୍ଷ ପ୍ରବାସୀଙ୍କ ପେଟପାଟଣା ପାଇଁ ସବୁଠାରୁ ବଡ଼ ମାଧ୍ୟମ ପାଲଟିଥିଲା ମନରେଗା। ଏହି ସ୍କିମ୍‌ ସଦୁପଯୋଗ ସହ କର୍ମସମ୍ବଳର ଉଚିତ ନିୟୋଜନ ଫଳରେ ରାଜ୍ୟରେ ଭିତ୍ତିଭୂମି ବିକାଶ ମଧ୍ୟ ଅଗ୍ରଗତି କରିପାରି ଥିଲା। ଏଣୁ ଓଡ଼ିଶା ସରକାର ଆଗାମୀ ଦିନରେ ମନରେଗାକୁ ଅଧିକ ପରିମାଣରେ କାର୍ଯ୍ୟକାରୀ କରାଯିବାକୁ ଯୋଜନା ରଖିଥିଲେ। ତେବେ ମନରେଗାରେ କମ୍ ବ୍ୟୟବରାଦ ଗରିବ ଲୋକଙ୍କୁ ସହାୟତା କରିବ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରକାଶ ଥାଉକି, ଗତବର୍ଷ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ବକେୟା ଅର୍ଥ ତୁରନ୍ତ ମଞ୍ଜୁର କରିବାକୁ ଏବଂ ଓଡ଼ିଶାର ଶ୍ରମ ବଜେଟ୍‌ ୨୫ କୋଟି ଶ୍ରମ ଦିବସକୁ ବୃଦ୍ଧି କରାଯିବା ପାଇଁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ଉଲ୍ଲେଖ କରିଥିଲେ ଯେ- ସଠିକ୍ ସମୟରେ ଗରିବ ଶ୍ରମଜୀବୀଙ୍କୁ ପ୍ରାପ୍ୟ ପ୍ରଦାନ ମନରେଗା ନିୟମରେ ମୌଳିକ ନିଶ୍ଚିତତା ଅଟେ। ସେହିପରି ସାମଗ୍ରୀ ଓ ପ୍ରାପ୍ୟ ପାଇଁ ସଠିକ୍ ସମୟରେ ଅର୍ଥ ମଞ୍ଜୁର ହିଁ ମନରେଗାକୁ ସଠିକ କାର୍ଯ୍ୟକାରୀ କରିବା ପାଇଁ ଜରୁରି ଅଟେ।

Comments are closed.