କୋଭିଡ ଟିକା ନିରାପଦ : ବାଧ୍ୟତାମୂଳକ ନ ଥିଲେ ବି ସୁସ୍ୱାସ୍ଥ୍ୟ ପାଇଁ ଟିକା ନେବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର- କୋରୋନା ଟିକାକରଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସୂଚନା ଦିଆଯାଇଛି । ପ୍ରେସମିଟରେ ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଡକ୍ଟର ଜୟନ୍ତ ପଣ୍ଡା କହିଛନ୍ତି ଯେ, ଉପ ଯୁକ୍ତ ପରୀକ୍ଷଣ ପରେ କୋଭିଡ ୧୯ ଟିକା ଡିଜିସିଆଇ ଦ୍ୱାରା ଅନୁମୋଦିତ ହୋଇଛି । ଏହା ନିରାପଦ । ଟିକାକରଣ ବାଧ୍ୟତାମୂଳକ ନ ଥିଲେ ମଧ୍ୟ ଲୋକଙ୍କ ସୁସ୍ୱାସ୍ଥ୍ୟ ପାଇଁ ଟିକା ଗ୍ରହଣକୁ ସୁପାରିଶ କରୁଛୁ ବୋଲି ଡକ୍ଟର ପଣ୍ଡା କହିଛନ୍ତି ।

ସେ କହିଛନ୍ତି ଯେ, ପର୍ଯ୍ୟାୟ କ୍ରମେ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଅଧିକ ବିପଦ ଥିବା ଲୋକଙ୍କର ଟିକାକରଣ କରାଯିବ । କୋରୋନା ଯୋଦ୍ଧାମାନଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଦିଆଯିବ ଟିକା । ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରିବାର ପ୍ରଥମ ପର୍ଯ୍ୟାୟ ଟିକାକରଣର ଅନ୍ତର୍ଭୁକ୍ତ ନୁହନ୍ତି । ସେମାନଙ୍କର ଟିକାକରଣ ପରେ କରାଯିବ ବୋଲି ଡକ୍ଟର ପଣ୍ଡା ସୂଚନା ଦେଇଛନ୍ତି । ପ୍ରଥମ ଡୋଜ୍‌ର ୨୮ ଦିନ ପରେ ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ ।

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପଂଜୀକରଣ ଓ ପରିଚୟ ପତ୍ର ଦେଖାଇବା ଜରୁରୀ । ପଂଜୀକରଣ କଲେ ଟିକାକରଣର ସ୍ଥାନ ଓ ସମୟ ସଂପର୍କରେ ସୂଚନା ଦିଆଯିବ । କୋଭିଡ ପଜିଟିଭ ରୋଗୀଙ୍କୁ ଆଇସୋଲେସନ ଅବଧି ଶେଷ ହେଲା ପରେ ଟିକା ନେବାକୁ ପରାମର୍ଶ ଦିଆଯାଇଛି । ଆରୋଗ୍ୟ ହୋଇଥିବା ରୋଗୀଙ୍କୁ ମଧ୍ୟ ଟିକା ଦିଆଯିବା ପାଇଁ ପରାମର୍ଶ ଦିଆଯାଇଥିବା ଡକ୍ଟର ଜୟନ୍ତ କହିଛନ୍ତି ।

Comments are closed.