ଦିବାରାତ୍ର ଟେଷ୍ଟ: ପ୍ରଥମ ଦିବସରେ ଭାରତ ୨୩୩/୬

ଆଡିଲେଡ୍ – ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିବାରାତ୍ର ଟେଷ୍ଟ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ପ୍ରଥମ ଦିବସରେ ଅଢେଇ ଶହ ଛୁଇଁବା ପୂର୍ବରୁ ୬ଟି ୱିକେଟ୍ ହରାଇ ଦେଇଛି । କୋହଲି ୭୪ ରନର ଏକ ଦର୍ଶନୀୟ ଇନିଂସ ଖେଳି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଯିବା ପରେ ଅଷ୍ଟ୍ରେଲିଆ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଛି । ପ୍ରଥମ ଦିବସର ଖେଳ ଶେଷ ବେଳକୁ ଭାରତ ୬ ୱିକେଟ୍ ହରାଇ ୨୩୩ ରନ୍ କରିଛି । ଷ୍ଟମ୍ପ ଅପସାରଣ ବେଳକୁ ରିଦ୍ଧିମାନ ଶାହା ୯ ଓ ରବିଚନ୍ଦ୍ରନ ଅଶ୍ୱିନ୍ ୧୫ ରନ୍ କରି ଅପରାଜିତ ଅଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୨ଟି ୱିକେଟ୍ ନେଇଥିବା ବେଳେ ଜୋସ ହାଜଲଉଡ୍, ପ୍ୟାଟ୍ କମିନ୍ସ ଓ ନାଥନ ଲାୟନ ଗୋଟିିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି ।

ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ପ୍ରଥମ ଓଭରରେ ହିଁ ଯୁବ ଓପନର ପୃଥ୍ୱୀ ଶ’ଙ୍କ ୱିକେଟ୍ ହରାଇଥିଲା । ଶ’ ପୁଣି ସୁଯୋଗ ହାତଛଡ଼ା କରି ଖାତା ଖୋଲିବା ଆଗରୁ ମିଚେଲ ଷ୍ଟାର୍କଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ । ଏହାପରେ ମୟଙ୍କ ଅଗ୍ରୱାଲ (୧୭)ଙ୍କ ସହ ମିଶି ଚେତେଶ୍ୱର ପୂଜାରା (୪୩) ପାଳି ସମ୍ଭାଳିବାକୁ ଉଦ୍ୟମ କରିଥିଲେ । ଦୁହେଁ ବେଶ୍ ସତର୍କତାର ସହ ଖେଳିଥିଲେ । ଦଳୀୟ ସ୍କୋର ୩୨ ରନ୍ ହୋଇଥିବା ବେଳେ କମିନ୍ସଙ୍କ ବଲରେ ଆଉଟ୍ ହୋଇ ମୟଙ୍କ ପ୍ୟାଭିଲିୟନ୍ ଫେରିଥିଲେ । ତେବେ ପୂଜାରା ଓ କୋହଲି ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ସହ ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ । କିନ୍ତୁ ଭାରତର ରନ୍ ରେଟ୍ ବେଶ୍ ମନ୍ଥର ଥିଲା । ବିଶେଷକରି ପୂଜାରା ଅତି ମନ୍ଥର ବ୍ୟାଟିଂ କରିଥିଲେ । ପୂଜାରାଙ୍କୁ ଆଉଟ୍ କରି ସ୍ପିନର ଲାୟନ ଏହି ଯୋଡ଼ି ଭାଙ୍ଗିବା ପରେ କୋହଲି ଓ ରାହାଣେ ୮୮ ରନ୍ ଯୋଗ କରି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । କୋହଲି ବି ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ତୃତୀୟ ସେସନରେ ରାହାଣେଙ୍କ ସହ ତାଳମେଳ ଅଭାବରୁ ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଯାଇଥିଲେ । ପରେ ରାହାଣେ ବ୍ୟକ୍ତିଗତ ୪୧ ରନରେ ଷ୍ଟାର୍କଙ୍କ ବଲରେ ଲେଗ୍ ବିଫୋର ହୋଇଥିଲେ ।

Comments are closed.