ଦ୍ୱିତୀୟ ଟେଷ୍ଟରେ ଭାରତର ବୃହତ୍ ବିଜୟ, ଇଂଲଣ୍ଡକୁ ୩୧୭ ରନରେ ହରାଇ ସିରିଜ ବରାବର କଲା ବିରାଟ ବାହିନୀ

ଚେନ୍ନାଇ – ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଭାରତ ଦ୍ୱିତୀୟ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଡେବୁଟାଣ୍ଟ୍ ଅକ୍ଷର ପଟେଲ୍ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ପିନ୍ ମ୍ୟାଜିକ୍ ସହାୟତାରେ ଭାରତ ୩୧୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ବୃହତ ବିଜୟ ସହ ଭାରତ ଚାରି ମ୍ୟାଚ୍ ସିରିଜକୁ ୧-୧ରେ ବରାବର କରିଛି ।

ଭାରତ ପ୍ରଦତ୍ତ ୪୮୨ ରନର ବିଶାଳ ବିଜୟଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଆଜି ଚତୁର୍ଥ ଦିବସରେ ନିଜ ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର ୫୩/୩ରୁ ଖେଳ ଆରମ୍ଭ କରି ଲଞ୍ଚ୍ ବିରତି ପରେ ୧୬୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ନିଜ ଡେବ୍ୟୁ ଟେଷ୍ଟ ଖେଳୁଥିବା ଅକ୍ଷର ୬୦ ରନ୍‌ରେ ୫ଟି ୱିକେଟ୍ ନେଇଥିବାବେଳେ ଅଶ୍ୱିନ ୩ଟି ଓ କୁଲଦୀପ ଯାଦବ ୨ଟି ୱିକେଟ୍ ହାସଲ କରିଥିଲେ । ଦ୍ୱିତୀୟ ଇନିଂସରେ ଚମତ୍କାର ଶତକ ସହ ମ୍ୟାଚରେ ମୋଟ ୮ ୱିକେଟ୍ ନେଇଥିବା ଅଶ୍ୱିନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ପ୍ରଥମ ଇନିଂସ୍ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଭାରତୀୟ ସ୍ପିନରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ । ଦଳ ତରଫରୁ ମୋଇନ୍ ଅଲ୍ଲୀ ସର୍ବାଧିକ ୪୩ ରନ୍ କରିଥିବାବେଳେ ଅଧିନାୟକ ଜୋ ରୁଟ୍ ୩୩ ରନ୍ କର ଓ ଡାନ୍ ଲରେନ୍ସ ୨୬ ରନ୍ କରିଥିଲେ ।
ରୋହିତଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୩୨୯ ରନ୍ କରିଥିଲା । ଏହାର ଜବାବରେ ଇଂଲଣ୍ଡ ମାତ୍ର ୧୩୪ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା । ଦ୍ୱିତୀୟ ଇନିଂସରେ ଅଶ୍ୱିନଙ୍କ ଶତକ ବଳରେ ଭାରତ ୨୮୬ ରନ୍ କରି ଆଉଟ୍ ହୋଇଥିଲା । ଫଳରେ ଇଂଲଣ୍ଡ ଆଗରେ ୪୮୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।

ସିରିଜ୍‌ର ତୃତୀୟ ଓ ଚତୁର୍ଥ ଟେଷ୍ଟ ଅହମ୍ମଦାବାଦର ମୋଟେରାରେ ଖେଳାଯିବ ।

Comments are closed.