ବାଟ୍‌ଲା ହାଉସ୍ ଏନ୍‌କାଉଣ୍ଟର ମାମଲା: ଦୋଷୀ ଆରିଜ୍ ଖାନକୁ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ – ତେର ବର୍ଷ ତଳର ବାଟ୍‌ଲା ହାଉସ୍ ଏନ୍‌କାଉଣ୍ଟର ମାମଲାରେ ଦୋଷୀ ଆରିଜ୍ ଖାନଙ୍କୁ ଦିଲ୍ଲୀର ଏକ କୋର୍ଟ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି । ପୋଲିସ୍ ଇନ୍ସିପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କୁ ହତ୍ୟା ପାଇଁ ଆରିଜ୍‌ଙ୍କୁ ଏହି ଦଣ୍ଡ ମିଳିଛି । ମାର୍ଚ୍ଚ ୮ରେ କୋର୍ଟ ଏହି ମାମଲାରେ ଆରିଜଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ମୃତ୍ୟୁଦଣ୍ଡ ସହ ଆରିଜଙ୍କ ଉପରେ ଅଦାଲତ ୧୧ ଲକ୍ଷ ଜରିମାନା ବି ଲଗାଇଛନ୍ତି । ଏହି ଜରିମାନା ରାଶି ମଧ୍ୟରୁ ୧୦ ଲକ୍ଷ ଟଙ୍କା ମୋହନ ଚାନ୍ଦ ଶର୍ମାଙ୍କ ପରିବାରକୁ ଦିଆଯିବ । ଏହି ମାମଲାର ଆଉ ଜଣେ ଅଭିଯୁକ୍ତ ସହଜାଦ୍ ଅହମ୍ମଦକୁ ୨୦୧୩ରେ ଦଣ୍ଡିତ କରାଯାଇଥିଲା ବେଳେ ତାର ଅନ୍ୟ ଦୁଇ ସାଥୀ ଆତିଫ୍ ଆମିରନ୍ ଏବଂ ମହମ୍ମଦ ସାଜିଦ ପୋଲିସ୍ ସହ ଏନକାଉଣ୍ଟରରେ ନିହତ ହୋଇଥିଲେ ।

ସୂଚନାଯୋଗ୍ୟ, ୨୦୦୮ରେ ବାଟ୍‌ଲା ହାଉସ୍ ଏନକାଉଣ୍ଟର ପରେ ଆରିଜ୍ ଫେରାର ହୋଇଯାଇଥିଲା । ତାକୁ ୨୦୧୮ରେ ନେପାଳରୁ ଗିରଫ କରାଯାଇଥିଲା । ବାଟ୍‌ଲା ହାଉସ୍ ଏନକାଉଣ୍ଟର ବେଳେ ଆରିଜ୍‌ର ଗୁଳିରେ ପୋଲିସ୍ ଇନ୍ସିପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ମୃତ୍ୟୁ ହୋଇଥିଲା ।

ଆତଙ୍କୀ ସଂଗଠନ ଇଣ୍ଡିଆନ୍ ମୁଜାହିଦ୍ଦିନର ଆରିଜ୍ ଜଣେ ସଦସ୍ୟ । ୨୦୦୮ରେ ଦିଲ୍ଲୀ, ଜୟପୁର ଓ ଅହମ୍ମଦାବାଦରେ ସିରିଜ୍ ବୋମା ବିସ୍ଫୋରଣରେ ବି ତାର ସମ୍ପୃକ୍ତି ଥିଲା । ଏଥିରେ ୧୬୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ୫୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ ।

Comments are closed.