ଖୋଲିବାରେ ଲାଗିଛି ପ୍ରଦୀପ ପାଣିଗ୍ରାହୀଙ୍କ ବେଆଇନ୍ ଆର୍ଥିକ କାରବାର, ଗୋଟିଏ ଆକାଉଂଟରେ ଜମା ହୋଇଛି ଅଢେଇ କୋଟି ଟଙ୍କା !

ବ୍ରହ୍ମପୁର – ପାଠକ ବାପା-ପୁଅଙ୍କ ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍ ସାମନାକୁ ଆସିବାରେ ଲାଗିଛି । ବ୍ରହ୍ମପୁରରେ ଭିଜିଲାନ୍ସ ଏସଆଇଟିର ଖୋଳତାଡରୁ ଜଣାପଡିଛି ଯେ, ସ୍ଥାନୀୟ କୋର୍ଟପେଟା ଆଇସିଆଇସିଆଇ ବ୍ୟାଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟିଏ ଆକାଉଂଟରେ ଅଢେଇ କୋଟି ଟଙ୍କା ରହିଛି । ଗତବର୍ଷ ପ୍ରଦୀପ ଇନକମ ଟ୍ୟାକ୍ସ ରିଟର୍ଣ୍ଣରେ ବାର୍ଷିକ ୧୦ ଲକ୍ଷ ଟଙ୍କାର ଆୟ ଦେଖାଇଥିଲେ । ଏହି ବର୍ଷ ଗୋଟିଏ ଆକାଉଂଟରେ ଅଢେଇ କୋଟି ଟଙ୍କା ଜମା ହୋଇଛି । ଗତ ୪ ମାସ ମଧ୍ୟରେ ପ୍ରଦୀପ ପାଣିଗ୍ରାହୀଙ୍କ କୋର୍ଟପେଟା ଆଇସିଆଇସିଆଇ ବ୍ୟାଙ୍କ ଆକାଉଂଟ୍ ( ୨୦୩୬୦୧୫୦୧୯୪୮ )ରେ ବିଭିନ୍ନ ଲୋକଙ୍କଠାରୁ ୨ କୋଟି ୪୮ ଲକ୍ଷ ଟଙ୍କା ଜମା ହୋଇଛି ।

ରବୀନ୍ଦ୍ର କୁମାର ସାହୁ ନାମକ ବ୍ୟକ୍ତି ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି, ଯିଏ କି ଗଞ୍ଜାମର ମଦ ମାଫିଆ ସୂର୍ଯ୍ୟ ସାହୁଙ୍କ ସଂପର୍କୀୟ । ସୂର୍ଯ୍ୟ ଫିଲିଂ ଷ୍ଟେସନ ଜମା କରିଛି ୪୦ ଲକ୍ଷ ଟଙ୍କା । ଏସ.କେ ମହାରଣା ନାମକ ବ୍ୟକ୍ତି ୨୫ ଲକ୍ଷ, କୁମ୍ବପାଣି ସାହୁ ନାମକ ବ୍ୟକ୍ତି ୨୦ ଲକ୍ଷ , ଗୁରୁମୂର୍ତି ଅଏଲ କଂପାନି ପ୍ରାୟ ୪୦ ଲକ୍ଷ ଟଙ୍କା ଜମା କରିଥିବା ଜଣାପଡିଛି ।

ଅନ୍ୟମାନେ ବି କିଛି କିଛି ଜମା କରିଛନ୍ତି, ଯାହା କି ପ୍ରଦୀପ ପାଣିଗ୍ରାହୀଙ୍କ ବେଆଇନ ଅର୍ଥ କାରବାର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏପରିକି ପ୍ରଦୀପଙ୍କ ସାନଭାଇ ଦିଲୀପ ପାଣିଗ୍ରାହୀ ବି ପଇସା ଜମା କରିଛନ୍ତି ।

ତେବେ, ପ୍ରଶ୍ନ ଉଠୁଛି ଯେ, ଗତବର୍ଷ ୧୦ ଲକ୍ଷ ଟଙ୍କା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଂଟରେ ହଠାତ୍ ୨ କୋଟି ୪୮ ଲକ୍ଷ ଟଙ୍କା ଆସିଲା କୁଆଡୁ ? ଏହାର ଜବାବ ଦେବେ କି ବିଧାୟକ ।

ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ତଡା ଖାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜଣେ ଜନ ପ୍ରତିନିଧି ଭାବେ ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଜବାବ ଦେବାକୁ ବାଧ୍ୟ । ବିଧାୟକଙ୍କ କହିବା କଥା ଯେ, ସେ କୌଣସି ଜନ ବିରୋଧୀ କାର୍ଯ୍ୟ କରିନାହାନ୍ତି ଓ ଜନ ବିରୋଧୀ ଶବ୍ଦର ସଂଜ୍ଞା ମାଗୁଛନ୍ତି, ତାହା ହେଲେ ସେ ନିଜ ବ୍ୟାଙ୍କ ଆକାଉଂଟରେ ଗତ ୪ ମାସ ମଧ୍ୟରେ ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଜମା କରାଯାଇଥିବା ଟଙ୍କା ସଂପର୍କରେ ଉତର ଦେବା ଜରୁରୀ ନୁହେଁ କି ?

ଯେଉଁମାନେ ବି ଟଙ୍କା ଜମା କରିଛନ୍ତି, ସେମାନଙ୍କ ସହ ପ୍ରଦୀପଙ୍କ ସଂପର୍କକୁ ନେଇ ବି ଚର୍ଚ୍ଚା ହେଉଛି । କାରଣ ଜମାକାରୀମାନଙ୍କ ସାମାଜିକ ପ୍ରୋଫାଇଲ୍ ଭଲ ନୁହେଁ । କିଏ ମଦ ମାଫିଆ ତ ଆଉ କିଏ ବାଲି ମାଫିଆ ।

ନିଜର ନିର୍ମଳ ଭାବମୂର୍ତି ବାବଦରେ ଓକିଲାତି କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ବିଧାୟକ ହିସାବରେ ନିୟମ ଅନୁଯାୟୀ ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତିର ବିବରଣୀ ଘୋଷଣା କରିବାକୁ ପଡିବ ।

ପ୍ରଦୀପ ପାଣିଗ୍ରାହୀଙ୍କ ବେଆଇନ୍ ଆର୍ଥିକ କାରବାର ଏବେ ସ୍ପଷ୍ଟ ହେବାରେ ଲାଗିଛି । ଏଭଳି ସ୍ଥଳେ ସେ ବିଧାୟକ ପଦରୁ କାହିଁକି ଇସ୍ତଫା ଦେବେ ନାହିଁ , ସେ ନେଇ ପ୍ରଶ୍ନ ହେବାରେ ଲାଗିଛି । ଅସାମାଜିକ ତତ୍ୱଙ୍କ ସହ ସଂପର୍କ ଓ ବେଆଇନ୍ ଅର୍ଥ କାରବାର କଣ ଜନବିରୋଧୀ କା ର୍ଯ୍ୟକଳାପ ନୁହେଁ କି ?

ଏବେ ଆସନ୍ତୁ ନଜର ପକାଇବା ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟିଏ ବ୍ୟାଙ୍କ୍ ଆକାଉଂଟରେ କିଏ କେତେ ଟଙ୍କା ଜମା କରିଛି ।

Comments are closed.