ଭାରତରେ ଫାଇଜର ଟିକାର ବି ବ୍ୟବହାର ହେବ, ଟିକା ରଖିବାକୁ ଚାଲିଛି ସ୍ବତନ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ – ଆମେରିକୀୟ ଔଷଧ କମ୍ପାନୀ ଫାଇଜରର କରୋନା ଟିକା ମଧ୍ୟ ଭାରତରେ ବ୍ୟବହାର କରାଯିବ। ପ୍ରଥମ ଥର ପାଇଁ ଦେଶରେ ସର୍ବନିମ୍ନ ତାପମାତ୍ରାରେ ଟିକାକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତି ଚାଲିଛି। ତେବେ ଏଭଳି ପ୍ରସ୍ତୁତି ଦେଶର ଅଧିକାଂଶ ମେଟ୍ରୋରେ ସୀମିତ ରହିବ ଏବଂ ଏହି ସହର ଗୁଡିକରେ ଫାଇଜର କମ୍ପାନୀର ଟିକା ବ୍ୟବହାର କରାଯାଇପାରିବ । ଦିଲ୍ଲୀ ସମେତ ଦେଶର ଅନେକ ମେଟ୍ରୋରେ ଟିକାକୁ ମାଇନସ୍ ତାପମାତ୍ରାରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ସୂଚନାଯୋଗ୍ୟ ଯେ ଫାଇଜର ଟିକା ରଖିବା ପାଇଁ ମାଇନସ୍ ୭୦ ଡିଗ୍ରୀ ତାପମାତ୍ରା ଆବଶ୍ୟକ ।

ଦିଲ୍ଲୀରେ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଟିକା ସଂରକ୍ଷଣ କେନ୍ଦ୍ର କରାଯାଇଛି ଯେଉଁଠାରେ ମାଇନସ୍ ୮୦ ଡିଗ୍ରୀ ସେଲସିୟସ ତାପମାତ୍ରାର ଫ୍ରିଜର ପ୍ରସ୍ତୁତ ହେଉଛି। ଏଥି ସହିତ ମୁମ୍ବାଇରେ ଏହିପରି ତାପମାତ୍ରାରେ ଟିକା ରଖିବା ପାଇଁ ବ୍ୟବସ୍ଥା ହୋଇସାରିଛି। ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦରେ ମଧ୍ୟ ଏହି ବ୍ୟବସ୍ଥା କରାଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଫାଇଜର କମ୍ପାନୀ ଟିକାକୁ ସୁରକ୍ଷିତ ରଖିବା ପାଇଁ ଅତି କମରେ ମାଇନସ୍ ୭୦ ଡିଗ୍ରୀ ତାପମାତ୍ରା ଥିବା ଏକ ଫ୍ରିଜର ରହିବା ଆବଶ୍ୟକ। ଯେଉଁ ସହରରେ ଏହି ବ୍ୟବସ୍ଥା ସହଜରେ ଉପଲବ୍ଧ ହୋଇପାରିବ ସେହି ସହରରେ ଫାଇଜର ଟିକା ସଂରକ୍ଷଣ ଓ ବ୍ୟବହାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫାଇଜର ପ୍ରଥମ ବହୁରାଷ୍ଟ୍ରୀୟ ଔଷଧ କମ୍ପାନୀ ଭାବେ ଭାରତରେ ନିଜ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଥିଲା ।

Comments are closed.