ବିଜେଡି ହେଉଛି ଲୋକଙ୍କ ଦଳ ; ଲୋକଙ୍କ ସେବାରେ ସମର୍ପିତ: ନବୀନ

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟକାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଯାଇଛି । ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ , ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବୈଠକ ଆରମ୍ଭ ହୋଇଥିଲା । ଦିବଙ୍ଗତ ନେତାଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା ହୋଇଥିଲା । ବିଜେଡି ହେଉଛି ଲୋକଙ୍କ ଦଳ , ଲୋକଙ୍କ ସେବାରେ ସମର୍ପିତ । ପ୍ରତିଦିନ ଲୋକଙ୍କ କାମ କରିବାକୁ କାର୍ଯ୍ୟକାରିଣୀରେ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ଵାରା ସଭାପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ତୃଣମୂଳସ୍ତରରେ ବିଜେଡିକୁ ଅଧିକ ସଂଗଠିତ କରାଯିବା ସହ ଦଳର ସଦସ୍ୟଙ୍କ ସଂଖ୍ୟା ୧ କୋଟିରୁ ଅଧୁକରେ ପହଞ୍ଚିଛି । ଦଳ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରତିଦିନ ସାଧାରଣ ଲୋକଙ୍କ ଆସ୍ଥା ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳ ଆଜି ମୁଣ୍ଡ ଟେକି ଠିଆ ହୋଇଛି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଛବିକୁ କଦାପି ମଳିନ କରିବାକୁ ଦିଆଯିବ ନାହିଁ ଏବଂ ସାରା ରାଜ୍ୟରେ ବିଜେଡି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଘରେ ଘରେ ପହଞ୍ଚାଇବାକୁ ପ୍ରଣବ ପ୍ରକାଶ ଦାସ କହିଥିଲେ ।

ଏହି କାର୍ଯ୍ୟକାରିଣୀ ବୈଠକରେ ଦଳର ବରିଷ୍ଠ ନେତା ୯ ଟି ପ୍ରସ୍ତାବ ଆଗତ କରିଥିଲେ । କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧିକ ବୋଲି ବରିଷ୍ଠ ନେତାମାନେ ମତ ଦେଇଥିଲେ । ଏସବୁ ସତ୍ତ୍ୱେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ଦିଗଦର୍ଶନ ପାଇଁ ରାଜ୍ୟର ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ । କେବଳ ଏତିକି ନୁହେଁ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ରାଜ୍ୟକୁ ବାରମ୍ବାର ଆଘାତ ଦେଇଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଏହାକୁ ସଠିକ ଭାବେ ମୁକାବିଲା କରିପାରିଛନ୍ତି । ସେହିପରି କୃଷି ଓ କୃଷକଙ୍କୁ ଅଗ୍ରାଧୁକାର ତଥା ସାମଗ୍ରିକ ବିକାଶ ପାଇଁ ବିଜେଡି ସଦାସର୍ବଦା କାର୍ଯ୍ୟ କରିଆସିଛି । ସ୍ୱାମୀନାଥନ କମିଟି ସୁପାରିସ ଅନୁସାରେ ଏଏପି ପାଇଁ ଲଢେଇ ଜାରି ରହିବ । ଓଡିଶା ସ୍ଵତନ୍ତ୍ର ରାଜ୍ୟ ପାଇଁ ସଂପୂର୍ଣ୍ଣ ହକଦାର । କିନ୍ତୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ସଙ୍ଗେ ବାରମ୍ବାର ପ୍ରତାରଣା କରୁଛି । ତେଣୁ ଆଗକୁ କିଭଳି ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇବ ସେଥିପାଇଁ ଦଳ ଦାବି ଉପସ୍ଥାପନ ଜାରି ରଖିବ ।

ମହିଳା ସଶକ୍ତିକରଣ ପାଇଁ ରାଜନୈତିକ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଛି । ରାଜ୍ୟରେ ପଞ୍ଚାୟତ ବ୍ୟବସ୍ଥାରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇଛି । ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦାବି ହୋଇଛି । ଏହି ବୈଠକରେ ମଧ୍ୟ ଓଡିଶାର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ପ୍ରସ୍ତାବ ଅନୁମୋଦିତ ହୋଇଛି । ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପାଇଁ ଦାବି ହୋଇଛି । କେବଳ ସେତିକି ନୁହେଁ ଓଡିଶାର ବରପୁତ୍ରଙ୍କ ଗାଁକୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ କରାଯିବାକୁ ପ୍ରସ୍ତାବ କରାଯାଇଛି । ବରପୁତ୍ର ମାନଙ୍କର ଜୀବନୀକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟରେ ଅନୁସୂଚିତ ଜାତି , ଜନଜାତି , ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପୂର୍ଣ୍ଣ ସଶକ୍ତିକରଣ ପାଇଁ ପ୍ରସ୍ତାବ ହୋଇଛି । ଦଳର ବିଭିନ୍ନ ସାମୁଖ୍ୟ ତରଫରୁ ମଧ୍ୟ ସେମାନଙ୍କୁ ସଶକ୍ତ କରିବା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ କିଭଳି ପଛୁଆ ବର୍ଗଙ୍କ ବିକାଶ ହୋଇପାରିବ ସେଥପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି ।

Comments are closed.